Unknown

 

 

 

 

 

 

 

 

 

ଜାଇଫୁଲ ଚଉତିଶା

ସନ୍ଥକବି ଭୀମ ଭୋଇ

 

(କବି ଭୀମ ଭୋଇ ଶତାଧିକ ଚଉତିଶାର ରଚୟିତା । ସେଥିମଧ୍ୟରୁ ଚାଳିଶରୁ ଉର୍ଦ୍ଧ୍ୱ ଚଉତିଶା ଆମର ହସ୍ତଗତ ହୋଇଛି । ଏଥିରୁ ଅଧିକାଂଶ କବିଙ୍କ ମହିମାଧର୍ମର ଭଜନ ଓ ଜଣାଣ । କବି ପ୍ରତ୍ୟେକଟି ଭଜନରେ ସଂସାରର ଅନ୍ୟତ୍ୟତା, ଜୀବନ ଦର୍ଶନ, ମନୁଷ୍ୟର ଦୁଃଖକଷ୍ଟ ତଥା କବିଙ୍କ ଭକ୍ତିମତ୍ତା ଫୁଟି ଉଠିଛି । ଉକ୍ତ ଚଉତିଶାଟି ଭଜନ ବା ଜଣାଣ ନୁହଁ । ରାଧାକୃଷ୍ଣଙ୍କ ପ୍ରେମ ମିଳନ ଓ ବିରହର ଚିତ୍ର ଏଥିରେ ପ୍ରକାଶ ପାଇଛି ।)

କିସ ମୁଁ କହିବି ତୋତେ,

କର ଧରି ଦୁତୀ କହୁଛି ଏତେ । ଜାଇଫୁଲ ।

କୃଷ୍ଣ ଆଣି ଦେବୁ ମୋତେ ।୧।

ଖଞ୍ଜିଛି ତ୍ରିବେଣୀ ଯୋରା,

ସେହି ନନ୍ଦ କାହ୍ନୁ ଅଟନ୍ତି ପରା । ଜାଇଫୁଲ ।

ବାଙ୍କେ ପାରି ଅଛି ଝୁରା ।୨।

ଜ୍ଞାନ ହେତୁ ଗଲା ବୁଡ଼ି,

ନେତ୍ରରେ ଦେଖିଣ ଭୂମିରେ ପଡ଼ି । ଜାଇଫୁଲ ।

କୁମ୍ଭ ଦୁଇ ଦେଲି ଛାଡ଼ି ।୩।

ଘାରି ହେଉଛି ନୟନ,

ଦେଖିଲା ବେଳରୁ ତୁମ୍ଭ ବଦନ । ଜାଇଫୁଲ ।

ଘରେ ରହୁ ନାହିଁ ମନ ।୪।

 

ଅନାଇଁ ଦେଖିଲି ଥରେ,

ଭେଟ ପଡ଼ିଗଲା ଅଧବାଟରେ । ଜାଇଫୁଲ ।

ଦୁଇ ମୁଖ ଏକଠାରେ ।୫।

ଭାବାର୍ଥ- (୧-୫) ରାଧା ଦୂତୀର ହାତ ଧରି ଜାଇଫୁଲ ସମ୍ୱୋଧନ କରି କହୁଛନ୍ତି– ଲୋ ଜାଇଫୁଲ, ମୁଁ ତୋତେ ଅଧିକ ବା କ’ଣ କହିବି ? ମୋ ପାଇଁ ତୁ କୃଷ୍ଣଙ୍କୁ ନେଇ ଆସିବୁ । ମୁଁ ମୁଣ୍ଡରେ ତ୍ରିବେଣୀର ଯୋଡ଼ ଖଞ୍ଜିଛି । ସେ ପରା ନନ୍ଦ କାହ୍ନୁ ଅଟନ୍ତି । ଲୋ ଜାଇଫୁଲ, ବାଙ୍କରେ ଝୁରା (ଚୂନା) ପାରିଛି । ତାକୁ ଦେଖି ଭୂମିରେ ପଡ଼ିଗଲି, ଜ୍ଞାନ ବୁଡ଼ିଗଲା । ତୁମ ମୁଖମଣ୍ଡଳ ଦେଖିଲାଠୁଁ ଚକ୍ଷୁ ମୋର ଘାରି ହେଉଛି । ଘର ଭିତରେ ମନଟା ବାନ୍ଧି ହୋଇ ରହୁନାହିଁ ।

ଲୋ ଜାଇଫୁଲ, ଥରେ ଚାହିଁ ଦେଖିଲି, ଅଧା ବାଟରେ ଭେଟ ହେଲା । ଦୁଇ ମୁହଁ ଏକାଠି ହୋଇଗଲା ।

ଚମକି ପଡ଼ିଲି ମୁହିଁ,

କେବଣ ମୋହିନୀ ଦେଲା ଲଗାଇ । ଜାଇଫୁଲ ।

ଅନ୍ନ ପାଣି ରୁଚୁ ନାହିଁ ।୬।

ଛାଡ଼ି ଯାଉଛି ଏ ଜୀବ,

ଯେତେ ଦୂର ପଛେ ହୋଇଲେ ହେବ । ଜାଇଫୁଲ ।

କୃଷ୍ଣ ଆଣି ଦେବୁ ବେଗ ।୭।

ଯାଇଥିଲି ଯମୁନାକୁ

ଯମୁନା ତଟରେ ଦେଖିଲି ତାଙ୍କୁ । ଜାଇଫୁଲ ।

ରଞ୍ଜିଲା ମୋର ମନକୁ ।୮।

ଝରୁଛି ବେନି ନୟନ,

ବିକି ଦେବି ମୋର ପିଣ୍ଡ ପରାଣ । ଜାଇଫୁଲ ।

ଦାସୀ ପଣେ ନେବି ଦିନ ।୯।

ନିୟମ କରି କହୁଛି,

ଆସିଥିଲେ ମୋର ନନ୍ଦନ ବସି । ଜାଇଫୁଲ ।

ସକଳ ଦେଲି ମୂରୁଛି ।୧୦।

ଟୀକା ଚନ୍ଦନ କପାଳେ,

ଟାକିଅଛି କାହ୍ନୁ କଦମ୍ବ ମୂଳେ । ଜାଇଫୁଲ ।

ଟେକି ଚାହାଁ ବେନି ଡୋଳେ ।୧୧।

ଠାକୁର ମୋହର ସେହି,

ତାଙ୍କ ବିନୁ କ୍ଷୀଣ ହେଲାଣି ଦେହୀ । ଜାଇଫୁଲ ।

ଠିକେ କହେ ଭୀମ ଭୋଇ ।୧୨।

ଭାବାର୍ଥ- (୬-୧୨) ଲୋ ଜାଇଫୁଲ, ତାଙ୍କୁ ଦେଖି ମୁଁ ଚମକି ପଡ଼ିଲା । କି ମୋହିନୀ ମୋତେ ଲାଗାଇ ଦେଲା କେଜାଣି, ଅନ୍ନପାଣି ରୁଚୁ ନାହିଁ । ଏ ଜୀବନ ଛାଡ଼ି ଛାଡ଼ି ଯାଉଛି-। ଲୋ ଜାଇଫୁଲ, ଯେତେ ଡେରି ହେଉ ପଛେ, କୃଷ୍ଣଙ୍କୁ ଆଣି ମୋତେ ଦେବୁ । ଏକଦା ଯମୁନାକୁ ଯାଇଥିଲି, ନଦୀ ତଟରେ ତାଙ୍କୁ ଦେଖି ମୋ ମନ ମୋହିତ.ହୋଇଗଲା । ଦୁଇ ଆଖିରୁ ଲୁହ ଝରୁଛି-। ତାଙ୍କ ପାଖରେ ମୋର ପିଣ୍ଡପ୍ରାଣ ବିକି ଦେବି । ଦାସୀ ଭାବରେ ତାଙ୍କ ପାଖରେ ରହି ଦିନ କାଟିବି-

ଲୋ ଜାଇଫୁଲ, ମୁଁ ନିୟମ କରି କହୁଛି, କୃଷ୍ଣ ମୋ ପାଖକୁ ଆସିଥିଲେ । ତାଙ୍କ ପାଖରେ ମୁଁ ସବୁକିଛି ମୁର୍ଚ୍ଛି ଦେଲି । ତାଙ୍କ କପାଳରେ ଚନ୍ଦନ ଟୀକା । କଦମ୍ବ ମୂଳରେ କାହ୍ନୁ ଟାକି (ଚାହିଁ) ବସିଛନ୍ତି । ଜାଇଫୁଲ ଲୋ, ତାଙ୍କୁ ଟିକିଏ ଚକ୍ଷୁ ଟେକି ଚାହାଁ । ସେ ମୋର ଠାକୁର । ତାଙ୍କ ବିନା ଦେହ କ୍ଷୀଣ ହେଲାଣି । ଭୀମ ଭୋଇ ଗୀତରେ ଏହା କହୁଛନ୍ତି ।

ଡାକି ଆଣିବି ତୋ ପାଶ,

କାହିଁ ପାଇଁ ରାଧା ମନେ ବିରସ । ଜାଇଫୁଲ ।

ହେବ ସ୍ତିରୀ ହତ୍ୟା ଦୋଷ ।୧୩।

ଢାଙ୍କୁଣୀ ଘୋଡ଼ାଇ ଦେବି,

ଯହିଁ ବସାଇଲେ ତହିଁ ବସିବି । ଜାଇଫୁଲ ।

ତୁମ୍ଭ ବଚନ ପାଳିବି ।୧୪।

ଅନୁକ୍ଷଣେ ଥିବି ସଙ୍ଗେ,

ଭାବି ହେଉଥିବି ଏ ତୋର ଅଙ୍ଗେ । ଜାଇଫୁଲ ।

ବସାଇବି ଜାନୁ ଜଙ୍ଘେ ।୧୫।

ତୈଳ ମୁଁ ଲଗାଇ ଦେବି,

ଭୁଜରେ ଭିଡ଼ି ପଲଙ୍କେ ଶୋଇବି । ଜାଇଫୁଲ ।

ପ୍ରେମ ରସ ଚୁମ୍ବାଇବି ।୧୬।

ଥାନ ଦୁଇ ଦେବି ରାତି,

ବସି ଜାନୁ ଜଙ୍ଘେ ନିଶି ପାହାନ୍ତି । ଜାଇଫୁଲ ।

ଚଉଷଠୀ ବନ୍ଧେ ପ୍ରୀତି ।୧୭।

ଦେବି ମୁହିଁ ପ୍ରୀତିଦାନ,

ନ କରିବି କାହ୍ନୁ ବିରସ ମନ । ଜାଇଫୁଲ ।

ଆସିଲେ ବ୍ରଜ ମୋହନ ।୧୮।

ଧରି ଥିବି ବେନି କର,

ଧରି ଚୁମ୍ବାଇବି ମୁଖ ଅଧର । ଜାଇଫୁଲ ।

ଲାଗିବ କେଡ଼େ ମଧୁର ।୧୯।

ନବୀନ ବୟସ ମୋର,

ନବୀନ ବୟସ ଚାଲି ତୋହର । ଜାଇଫୁଲ ।

ନାବରେ ତୁ ପାରି କର ।୨୦।

ଭାବାର୍ଥ- (୧୩-୨୦) ରାଧାଙ୍କ ଏହିଭଳି ବିକଳ କଥା ଶୁଣି ଦୂତୀ କହିଲା– ହେ ରାଧା, ମନରେ କାହିଁକି ବିରସ ହେଉଛ ? କୃଷ୍ଣଙ୍କୁ ତୁମ ପାଖକୁ ନିଶ୍ଚୟ ନେଇ ଆସିବି । ନହେଲେ ସ୍ତ୍ରୀ ହତ୍ୟା ଦୋଷ ଲାଗିବ । ତୁମ କଥା ମାନିବି, ଯେଉଁଠି ବସିବାକୁ କହିବ, ସେଠି ବସିବି । ଲୋ ଜାଇଫୁଲ, ପ୍ରତିକ୍ଷଣରେ ତୁମ ସଙ୍ଗରେ ଥିବି, ତୁମ ଅଙ୍ଗ ଲାଗି ହେଉଥିବି । ଜଙ୍ଘରେ ବସାଇବି । ତାଙ୍କୁ ତେଲ ଲଗାଇ ଦେବି, ଭୁଜରେ ଭିଡ଼ି ଆଣି ପଲଙ୍କରେ ଶୁଆଇବି ଓ ପ୍ରେମ ରସ ଚୁମ୍ବାଇବି ।

ଲୋ ଜାଇଫୁଲ, ତାଙ୍କ ଜାନୁଜଙ୍ଘରେ ବସି ରାତି ପୁହାଇବି । ଚଉଷଠି ବନ୍ଧରେ ପ୍ରୀତି କରିବି । ଲୋ ଜାଇଫୁଲ, ବ୍ରଜମୋହନ ସେ କୃଷ୍ଣ ଏଠାକୁ ଆସିଲେ ତାଙ୍କ ମନକୁ ବିରସ କରିବି ନାହିଁ । ତାଙ୍କ ଦୁଇ ହାତ ଧରି ମୁଖ, ଅଧରକୁ ଚୁମ୍ବାଇବି । ଏଥିରୁ ମଧୁର ଫଳ ମିଲିବ । ଲୋ ଜାଇଫୁଲ, ମୋର ନବୀନ ବୟସ, ତୋର ନବୀନ ବୟସ ଚାଲି । ନାବରେ ବସାଇ ମୋତେ ପାରିକର ।

ପୂରି ରହିଛି ବୟସ,

ଦର ଦର ହୋଇ ବହୁଛି ରସ । ଜାଇଫୁଲ ।

ପଛକୁ ପାଇବ କିସ ।୨୧।

ଫୁଟି ରହିଅଛି କଢ଼ି,

ଗଜଗଜ ହୋଇ ଆସୁଛି ମାଡ଼ି । ଜାଇଫୁଲ ।

ପଶ୍ଚାନ୍ତେ ପଡ଼ିବ ଝଡ଼ି ।୨୨।

ବିଷମ ହେଲାଣି ମୋତେ,

ଭେଟ ହେବାଯାଏ ନାହିଁ ପରତେ । ଜାଇଫୁଲ ।

ଆଉ କି ପାଇବି ସତେ ।୨୩।

ଭରସା କରିଛି ଚିତ୍ତ,

ଭାବଗ୍ରାହୀ ନାଥ ପ୍ରାଣର ହିତ । ଜାଇଫୁଲ ।

ଭାବେ କହେ ଭୀମ ଭକ୍ତ ।୨୪।

ମୋହିନୀ ଲଗାଇ ଦେଲେ,

ଚୋରଙ୍କ ପରାଏ ଲୁଚି ରହିଲେ । ଜାଇଫୁଲ ।

ମୋ ପାଶେ କିମ୍ପା ନଇଲେ ।୨୫।

 

ଯଉବନ ଧରି କେତେ,

ବିଷପରି କିନା ଲାଗୁଛି ମୋତେ । ଜାଇଫୁଲ ।

ଟାକିଲି ଟୀଆ ପର୍ଯ୍ୟନ୍ତ ।୨୬।

ରସା ମେଦିନୀ ମୋ ଦେହୀ,

ରକତ ମାଂଏସ ଗଲା ମିଳାଇ । ଜାଇଫୁଲ ।

ଏହା ଶ୍ରୀକୃଷ୍ଣଙ୍କ ପାଇଁ ।୨୭।

ଭାବାର୍ଥ- (୨୧-୨୭) ଲୋ ଜାଇଫୁଲ, ତୋର ଦେହରେ ବୟସ ପୂରି ରହିଛି । ସେଥିରୁ ଦର ଦର (ଅଳ୍ପ ଅଳ୍ପ) ରସ ବହି ପଡ଼ୁଛି । କଢ଼ି ଫୁଟିଛି, ଫୁଲ ଫୁଟିବ, ପରେ ତାହା ଝଡ଼ି ପଡ଼ିବ । ଲୋ ଜାଇଫୁଲ, କୃଷ୍ଣଙ୍କ ସହିତ ଭେଟ ନ ହେବା ଯାଏଁ, ମୁଁ କଷ୍ଟ ପାଇବି । ଭାବଗ୍ରାହୀ ନାଥଙ୍କ ପାଖରେ ଭରସା କରିଛି । ଭୀମ ଭୋଇ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । ହେ ନାଥ, ତୁମେ ପ୍ରାଣର ହିତ, ମୋତେ ଉଦ୍ଧାର କର ।

ରାଧା କହିଲେ, ଲୋ ଦୂତୀ କୃଷ୍ଣ ମୋତେ ମୋହିନୀ ଲଗାଇ ଦେଲେ । ଚୋରଙ୍କ ପରି ଲୁଚି ରହିଛନ୍ତି । ମୋ ପାଖକୁ ଆସୁନାହାନ୍ତି । ଏ ଦେହରେ ଯୌବନ ମୋତେ ବିଷପରି ଲାଗୁଛି । ମୋ ଦେହରେ ରକ୍ତ ମାଂସ ଶ୍ରୀକୃଷ୍ଣଙ୍କ ପାଇଁ ବୃଥାଯାଉଛି ।

ଲାବଣ୍ୟ ମୂରତି ତନୁ,

ଚାଲି ଆସୁଛନ୍ତି ଶ୍ରୀବୃନ୍ଦାବନୁ । ଜାଇଫୁଲ ।

ମୋ ନାମେ ବଜାଇ ବେଣୁ ।୨୮।

 

 

ବୃନ୍ଦାବନେ ଚଳିଗଲେ,

ପଛରେ ଦୁତିକା ରାଧା ଆଗରେ । ଜାଇଫୁଲ ।

କୃଷ୍ଣଙ୍କୁ ବରଣ କଲେ ।୨୯।

ସବୁ ବୃତ୍ତାନ୍ତ କହିଲେ,

ଚରଣ ଧରି ବିନୟ ହୋଇଲେ । ଜାଇଫୁଲ ।

ଦରଶନ ଯାଇ କଲେ ।୩୦।

ସଧୀରେ ଆମ୍ଭର କତି,

ଶ୍ରୀକୃଷ୍ଣ ପତି ରାଧିକା ଯୁବତୀ । ଜାଇଫୁଲ ।

ଅନ୍ତର ହୋଇଲେ ଦୂତୀ ।୩୧।

ସବୁ କଥା ପଡ଼ିଅଛି,

କାଦମ୍ବରୀ ବୃକ୍ଷଛାଇ ପଡ଼ିଛି । ଜାଇଫୁଲ ।

ଘୋର ଅନ୍ଧାର ଦିଶୁଛି ।୩୨।

ହରି ହରିଆଣୀ ଦୁଇ,

ଚଉଷଠୀ ବନ୍ଧେ ପ୍ରୀତି ଭିଆଇ । ଜାଇଫୁଲ ।

ସମସ୍ତେ ପାଇବେ କାହିଁ ।୩୩।

କ୍ଷମାନନ୍ଦ ଘନ ଚାନ୍ଦ,

କ୍ଷମେ ରାଧାକୃଷ୍ଣ ମନ ଆନନ୍ଦ । ଜାଇଫୁଲ।

କ୍ଷମେ ଭଣେ ଭୀମ କନ୍ଧ ।୩୪।

ଭାବାର୍ଥ- (୨୮-୩୪) ରାଧା କହିଲେ, ଶ୍ରୀକୃଷ୍ଣଙ୍କ ଲାବଣ୍ୟଭରା ତନୁ ମୋ ମନରେ ନାଚୁଛି । ସେ ଯେମିତି ଶ୍ରୀବୃନ୍ଦାବନରୁ ଚାଲିଆସୁଛନ୍ତି । ମୋ ନାମରେ ବେଣୁ ବଜାଉଛନ୍ତି । ରାଧା ଏହା କହିବା ପରେ ଉଭୟ ଦୂତୀ ଓ ରାଧା ବୃନ୍ଦାବନ ଅଭିମୁଖେ ଯାତ୍ରା କଲେ । ଆଗେ ଆଗେ ରାଧିକା, ପଛରେ ଦୂତୀ । ଦୁହେଁ ସେଠାରେ ପହଞ୍ଚି କୃଷ୍ଣଙ୍କୁ ବରଣ କଲେ । ରାଧା ଓ ଦୂତୀ କୃଷ୍ଣଙ୍କୁ ଦର୍ଶନ କରି ତାଙ୍କ ଆଗରେ ସମସ୍ତ ବୃତ୍ତାନ୍ତ କହିଲେ, ପାଦ ଧରି ବିନୟ ହେଲେ ।

ଲୋ ଜାଇଫୁଲ, କଦମ୍ବ ବୃକ୍ଷ ଛାଇ ତଳେ କୃଷ୍ଣ ଓ ରାଧିକାଙ୍କ ମିଳନ ପରେ ଦୂତୀ ସେଠାରୁ ଚାଳିଗଲା । ଦୁହେଁ ଚଉଷଠି ବନ୍ଧରେ ପ୍ରେମରୀତି କଲେ । ସେ ପ୍ରେମ ଅଲୌକିକ, ଅପୂର୍ବ-। ସମସ୍ତଙ୍କ ଭାଗ୍ୟରେ ଏହା ଜୁଟି ନ ଥାଏ । ପ୍ରଭୁଙ୍କ ପାଦପଦ୍ମକୁ ଧ୍ୟାନ କରି ଅର୍କ୍ଷିତ ଭୀମ ଉକ୍ତ ଚଉତିଶାକୁ ରଚନା କଲେ ।

Image